କଟକ, ଭୁବନେଶ୍ବର ଓ ଛେନାପୋଡ଼ ଉପାଖ୍ୟାନ
Volume 6 | Issue 4 [August 2026]

କଟକ, ଭୁବନେଶ୍ବର ଓ ଛେନାପୋଡ଼ ଉପାଖ୍ୟାନ
—
ଇଲିଆନା ସିତାରିଷ୍ଟି

Volume 6 | Issue 4 [August 2026]

Translated by – Sarbani Sarbashree Mohanty

ଅଣାଅଶି ମସିହା ଜୁନ ପହିଲାରେ ମୁଁ  ଦିଲ୍ଲୀରୁ ଟ୍ରେନ ଧରି କଟକ ପହଞ୍ଚିଲି | ମୋର ହେଜ ଅଛି, ମୁଁ ଷ୍ଟେସନରୁ ସିଧା ଯାଇଥିଲି ମୋ’ ଗୁରୁଜୀ କେଳୁଚରଣ ମହାପାତ୍ରଙ୍କ ଘରକୁ ସାଇକେଲ ରିକ୍ସାରେ| “କର୍ମଜୀବୀ ମହିଳା ନିବାସ” ଥିଲା ମୋର ପ୍ରଥମ ଆବାସ | ନିବାସଟି ଖାଲି ପଡ଼ିଥାଏ ଖରା ଛୁଟି ଯୋଗୁଁ | ମନେପଡ଼େ ସେ ମୌସୁମୀ ପୂର୍ବାଭାଷର ଘର୍ମାକ୍ତ ଋତୁରେ କେବଳ ଘୋଳ ଦହି ଓ ପେଜ ପିଇ ମାସ ସାରା କଟାଇଥିଲି | ମୋର ଈପ୍ସିତ ଛାଙ୍କୁଣା କିମ୍ବା ବିସଲେରୀ ପାଣି ସେତେବେଳର ଭାରତରେ ଉପଲବ୍ଧ ହେଉ ନ ଥାଏ, ତେଣୁ ଉପୋରକ୍ତ ତରଳ ଆହାର ସହିତ ଅଣାୟତ ମୋର ପାକସ୍ଥଳୀ ପାଇଁ କିଞ୍ଚିତ ଶଙ୍କାନ୍ଵିତ ହୋଇଥିଲି |

ହେଲେ ମୁଁ  ବର୍ତ୍ତି ଗଲି |

ମାସ କେଇଟା ପରେ, ଯେବେ ଏକ ବଙ୍ଗାଳୀ ପରିବାର ମୋତେ ଶୁଳ୍କାତିଥି ଭାବରେ ଗ୍ରହଣ କଲେ – ଯେଉଁଠି କାଳକ୍ରମେ ସମ୍ପୂର୍ଣ ନଅ ବର୍ଷର କଟକ ରହଣି କାଟିଥିଲି, ଭୁବନେଶ୍ୱର କୁ ମୋର ଅପସୃତି ପୂର୍ବରୁ – ସେଠାରେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବଙ୍ଗୀୟ ଶୈଳୀରେ ରାନ୍ଧି ମୋତେ ପରଷି ଦେଉଥିଲେ ସେ ଘରର କରୁଣାମୟୀ, ବୟସ୍କା ଗୃହଲକ୍ଷ୍ମୀ | ( ମୁଁ କେବେ ରୋଷେଇଘରକୁ ଯାଇ ରନ୍ଧନ ପଦ୍ଧତି ଦେଖିନାହିଁ, ତେଣୁ ମୁଁ କିଛି ଶିଖିପାରିଲି ନାହିଁ; ମୋତେ ଯାହା ପରଷା ଯାଉଥିଲା ତାହା ଖାଇ ସେଇଥିରେ ମୁଁ ତୃପ୍ତ | )

ସେକାଳେ ମୁଁ ନିରାମିଷାଶୀ ଥିଲି, ଏବଂ ସେ ଯେବେ ଯେବେ ମାଛ ରାନ୍ଧୁଥିଲେ – ସପ୍ତାହରେ ଅତି କମରେ ଚାରିଥର – ମୋର ଭକ୍ଷଣୀୟ ବିଶେଷ କିଛି ରହୁ ନ ଥିଲା | କିଛି ବର୍ଷ ଉତ୍ତାରୁ ସେଇ କାରଣରୁ ମୁଁ ପୁନଶ୍ଚ ଆମିଷାଶୀ ହେବାକୁ ନିଷ୍ପତ୍ତି ନେଲି | ପାଶ୍ଚାତ୍ୟ ଦେଶମାନଙ୍କରେ ନିରାମିଷାଶୀ ହେବା ବୂରଜୁଆ ସମାଜ ସହିତ ସଂଶ୍ଳିଷ୍ଟ ମୂଲ୍ୟବୋଧ ଏବଂ ବିଶ୍ଵାସ ବିରୁଦ୍ଧରେ ଏକ ପ୍ରତିବାଦାତ୍ମକ ଆନ୍ଦୋଳନର ଅଂଶ ଅଟେ, କିନ୍ତୁ ଏଠି ଭାରତରେ ଏହା କରିବା ଅର୍ଥ ମୋ’ ପକ୍ଷରେ ତୁଚ୍ଛାଟାକୁ ଅପପୋଷିତ ରହିବା ସାର ହୋଇଥାନ୍ତା | ମୋର ପ୍ରାତଃ ଜଳଖିଆ ସମ୍ପୂର୍ଣ ରୂପରେ ନିର୍ଭର କରୁଥିଲା ମୋ’ ନିଜ ପ୍ରସ୍ତୁତି ଉପରେ ଏବଂ ନଅ ବର୍ଷ ପର୍ଯ୍ୟନ୍ତ ଗୋଟିଏ ପ୍ରକାରର ଥିଲା : ଚୂଡ଼ା, ଦହି ଓ କଦଳୀ ଚକଟା | ଭୁବନେଶ୍ୱର ଯିବା ପରେ ତାହା ପରିଣତ ହେଲା ଗହମ ଖିରି ଓ ଦୁଧକୁ |

ଯେବେ ଘରର ଗୃହଲକ୍ଷ୍ମୀ ନିର୍ଦ୍ଧାର କଲେ ଯେ ସେ କେବଳ ମଧ୍ୟାହ୍ନ ଭୋଜନ ଯୋଗାଇବେ, ମୋର ରାତ୍ରି ଭୋଜନ ହୋଇଗଲା ଇଟାଲୀୟ ସିମେଇ (ସ୍ପାଘେଟି) ସହିତ ସଜ ବିଲାତି ବାଇଗଣରୁ ନିର୍ମିତ ଚଟଣି, ଯାହାକୁ ମୁଁ ଏକ ଛୋଟ ବିଦ୍ୟୁତ ଚୁଲି ଉପରେ ରାନ୍ଧିଥାଏ | ମୋ ରହିବା ପାଇଁ ଏକମାତ୍ର ପ୍ରକୋଷ୍ଠ ସମବେତ ଭାବରେ ପାକଶାଳା, ଶୟନ କକ୍ଷ ଏବଂ କଳା ଗୃହ ଭାବରେ ଦାୟିତ୍ଵ ତୁଲାଉଥିଲା | କଟକରେ ଇଟାଲୀୟ ସିମେଇ ମିଳୁ ନଥିଲା ତେଣୁ ମୋ’ ମା’ ଇଟାଲୀ ରୁ ଡାକ ଯୋଗେ ପଠାଉ ଥିଲେ | ଥରେ ମୋ’ ମା’ ସେହି ପାର୍ସଲରେ ଏକ ଛୋଟ ପୁଡ଼ିଆ କୋକୋ ପାଉଡର ରଖି ଦେଇଥିଲେ, ଏବଂ ଦଇବ ଯୋଗେ, ହୁଏତ ଅବକାରୀ ଯାଞ୍ଚ ସମୟରେ କୋକୋ ପାଉଡର ସବୁ ସିମେଇ ସହ ମିଶି ଯାଇଥିଲା | ମୋ’ ପାଖରେ ଦୁଇଟି ପାକେଟ ଚକୋଲେଟିୟା ସିମେଇ ପହଞ୍ଚିଲା ଯାହାକୁ ମୋତେ ଖାଇ ସାରିବାକୁ ପଡ଼ିଲା କାରଣ ସେ ଗୁଡ଼ିକ ଏତେ ମୁଲ୍ୟବାନ ଯେ ତାକୁ ଫୋପାଡ଼ି ହୋଇ ନ ଥାନ୍ତା |

ସେହି ଦିନ ଗୁଡ଼ିକରେ ମୋର ବାସ୍ତବ ଦୁର୍ବଳତା ଥିଲା ଦୁଧ | ମୁଁ କେବଳ ଦୁଧ ଉପରେ ଆଶ୍ରା କରି ବଞ୍ଚି ପାରିଥାନ୍ତି | ଲାଗେ ଯେପରି କଟକର ପ୍ରାୟ ସମସ୍ତଙ୍କୁ ଏହି କଥା ଜଣା ଥିଲା, କାରଣ ମୋର ସ୍ମରଣ ଅଛି, କେମିତି ମୁଁ ଯାହା ଘରକୁ ବି ଯାଏ ନା କାହିଁକି, ସେଠି ନିଶ୍ଚୟ ଗୋଟିଏ ବଡ଼ ଦୁଧ ଗ୍ଳାସ ମୋ ପାଇଁ ପ୍ରତୀକ୍ଷା କରିଥିବ । ସେଇ ପ୍ରାରମ୍ଭିକ ଦିନ ଗୁଡ଼ିକରେ କଟକ ନଗରୀରେ ଘୁରି ବୁଲୁଥିବା ମୁଁ ବୋଧ ହୁଏ ଏକ ମାତ୍ର ବିଦେଶୀ ଥିଲି – ଏବଂ ତା’ ମଧ୍ୟ ମୋପେଡ ଚଢ଼ି – ଏବଂ ବିନା କିଛି କାରଣରେ ବା କୌଣସି ଉଦ୍ଦେଶ୍ୟ ନ ଥାଇ ଯେ କୌଣସି ମୁହୂର୍ତ୍ତରେ ଅକସ୍ମାତ କାହା ଘରେ ଆତିଥ୍ୟ ଗ୍ରହଣ କଲେ ସେମାନଙ୍କ ପାଇଁ ତାହା ଏକ ଦର୍ପ ର କଥା ଥିଲା | କଟକରେ ମୋର ରହଣି କାଳରେ ମୁଁ କେତେ ଘରେ ଯେ କ୍ଷୀର ପିଇଛି ତାହା ମୁଁ ପ୍ରକୃତରେ ଜାଣିନାହିଁ, କିନ୍ତୁ ପ୍ରତ୍ୟେକଟି ଜଣକୁ ସ୍ମୃତିରେ ସାଇତି ରଖିବାର ସାମର୍ଥ୍ୟ ବାସ୍ତବିକ ମୋର କାମ୍ୟ | ଅଶି ଦଶକରେ କଟକରେ କାଟିଥିବା ମୋର ପ୍ରାରମ୍ଭିକ ସମୟରେ ମୁଁ ରାସ୍ତା ପାର୍ଶ୍ଵରୁ କୌତୂହଳୀ ହେଉଥିଲି ବିଭିନ୍ନ ଯାନ – ସାଇକେଲ, ମଟର ସାଇକେଲ, ବସ – ରେ କମଳା ରଙ୍ଗର ପୋଟଳା ଝୁଲୁଥିବାର ସବୁଦିନିଆ  ଦୃଶ୍ୟ ଦେଖି | ସର୍ବାଧିକ ସଂଖ୍ୟକ ପୋଟଳା ଗୁଡ଼ା ବସରେ ଓହଳୁଥାଏ କିନ୍ତୁ ମଟର ସାଇକେଲ ଚାଳକମାନେ ମଧ୍ୟ ନିଜ ଦୁଇ ଗୋଡ଼ ମଝିରେ ଜାକି ପୋଟଳାକୁ ଖୁବ ସନ୍ତୁଳିତ ଭାବରେ ନେଇ ପାରୁଥିଲେ | କାଳକ୍ରମେ ମୁଁ ଜାଣିବାକୁ ପାଇଲି ଯେ ଏହା ପ୍ରକୃତରେ ଦୁଧକୁ ଛିଣ୍ଡାଇଲା ପରେ ନିସୃତ ଜଳକୁ ନିଗାଡ଼ି ସଦ୍ୟ ପ୍ରସ୍ତୁତ ଛେନାକୁ ଛାଣିବାର ଏକ ବିଚକ୍ଷଣ ଉପାୟ | ଏହି ଉପାୟ ଦ୍ୱାରା ଛେନା ପୋଡ଼ ନାମକ ମିଷ୍ଟାନ୍ନ ପ୍ରସ୍ତୁତିକରଣ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଛେନାକୁ ପ୍ରକୃଷ୍ଟ କାଠିନ୍ୟ ପ୍ରଦାନ କରାଯାଏ | ମୋଟା ସୂତା, ଯେଉଁଥିରୁ ଗାମୁଛା ବୁଣାହୁଏ, ଯାହା ଓଡ଼ିଶା ଭଳି ଗରମ ଏବଂ ଆର୍ଦ୍ର ଅଞ୍ଚଳର ବାସିନ୍ଦାମାନଙ୍କର ଆଦୃତ ବସନ, ସେହି ସୂତାରୁ ନିର୍ମିତ ବସ୍ତ୍ର ଏହି ପୋଟଳା |

ମୁଁ ମାନୁଛି ଯେ ଲମ୍ବା ଯାତ୍ରା, ଧୁଳି, ବାସନକୁସନ ଗୁଡ଼ିକର ଅଣ-ଆଶ୍ଵାସନା-ଦାୟକ ଦିଗକୁ ବିଚାରକୁ ନେଇ ମୁଁ ସେହି ସମୟରେ ଏ ପ୍ରଣାଳୀର ତୃଟିହୀନ ପରିମଳକୁ ନେଇ ସନ୍ଦୀହାନ ଥିଲି, କିନ୍ତୁ କିଛି ସମୟ ପରେ ମୁଁ ଏହି ଦିଗରୁ ମୋ ମନୋବୃତ୍ତି ଅଧିକ କୋହଳ କଲି, ବିଶେଷକରି ଯେବେଠାରୁ ମୁଁ ଚୂଡ଼ାନ୍ତ ଉତ୍ପାଦର ସ୍ଵାଦ ଚାଖିବାକୁ ପାଇଲି | ଏହି ଅଦ୍ଭୁତ ଢଙ୍ଗରେ ପରିବହନ କରାଯାଉଥିବା ଛେନାରୁ ନିର୍ମିତ ପିଠା ଖୁବ ଶୀଘ୍ର ମୋର ଅତି ପ୍ରିୟ ଖାଦ୍ୟ ମଧ୍ୟରୁ ଗୋଟିଏରେ ପରିଣତ ହୋଇଯାଇଥିଲା | ଦିନର ଯେକୌଣସି ସମୟରେ ଏହାର ଆନନ୍ଦ ଉପଭୋଗ କରିହେବ –  ଏକ ମିଷ୍ଟାନ୍ନ ଭାବରେ, ଅପରାହ୍ନର ଜଳଖିଆ ଭାବରେ, ସାନ୍ଧ୍ୟ ଭୋଜନରେ ରୁଟି ସହିତ, କିମ୍ବା ଭାତ ସନ୍ତୁଳାର ମଧ୍ୟାହ୍ନ ଭୋଜନ ଉପରାନ୍ତରେ  |

ମୋର ଛାତ୍ରମାନେ ଖୁବ ଭଲଭାବରେ ଜାଣନ୍ତି ଯେ, ଯେତେବେଳେ ସେମାନେ କୌଣସି ସମାରୋହ ପାଳନ କରିବାକୁ ଚାହାଁନ୍ତି କିମ୍ବା ମୋତେ ସେମାନେ କିଛି ଭୋଜ୍ୟ ଉପହାର ଦେବାକୁ ଚାହାଁନ୍ତି, କେବଳ ଏକ ସଦ୍ୟ ତିଆରି ଛେନା ପୋଡ଼ ପିଠାଟିଏ କିଣି ଆଣିଲେ ହିଁ ହେଲା | ସେମାନେ ନିଜ ପାଇଁ ସିଙ୍ଗଡ଼ା, ଆଳୁଚପ, ବରା, ଦହିବରା, କିମ୍ବା ବାର ପ୍ରକାରର ବାରମଜା କିଣି ଆଣିପାରିବେ, କିନ୍ତୁ ମୋତେ ଏହି ସବୁ ରୋଚକ ଖାଦ୍ୟ ମଧ୍ୟରୁ କିଛି ରୁଚେନାହିଁ, କେବଳ ଛେନା ପୋଡ଼  ଛଡ଼ା |

ମୁଁ ରୋଷେଇରେ ଏତେଟା ନିପୁଣା ନୁହେଁ, ତେଣୁ ମୁଁ ମାନୁଛି ଯେ ଏ ଯାବତ୍ ଏହାକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରିନାହିଁ | କିନ୍ତୁ କିଛିଦିନ ତଳେ ମୁଁ ନ୍ୟୁ-ଜର୍ସିରେ ଏକ ଓଡ଼ିଆ ପରିବାରଙ୍କ ଘରେ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲି ଏବଂ ସେଇ ଘରର ଗୃହଲକ୍ଷ୍ମୀ ମୋତେ କହିଲେ ଯେ ଆସନ୍ତା କାଲି ପାଇଁ ସ୍ଥିର କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ପରୋଷିବାପାଇଁ ସେ ଏକ ବିଶାଳକାୟ ଛେନାପୋଡ଼ ପିଠା ତିଆରି କରିବେ | ମୋ ପାଇଁ ଏହା ଦୁର୍ବୋଧ୍ୟ ଥିଲା କିପରି ସେ ନିଜ ହାତରେ ଏତେ ଲୋକଙ୍କ ପାଇଁ ଓ ଏତେ କମ ସମୟ ମଧ୍ୟରେ ଏହାକୁ ତିଆରି କରିପାରିବେ |

ସେ ପର୍ଯ୍ୟନ୍ତ ମୁଁ ଭାବୁଥିଲି ଯେ ଏହା କେବଳ ପାରମ୍ପରିକ କାଠ ଚୁଲିରେ ପ୍ରସ୍ତୁତ କରିବା ସମ୍ଭବ କାରଣ ପିଠାର ବାହ୍ୟ ପୃଷ୍ଠରେ ଧୂସର ବର୍ଣ୍ଣର ଆବରଣରୁ ପ୍ରତୀତ ହୁଏ ଯେ କେବଳ ନିଆଁ ଉପରେ ପ୍ରାକୃତିକ ପ୍ରଣାଳୀରେ ପୋଡ଼ିବା ଦ୍ୱାରା ହିଁ ତାହା ସୃଷ୍ଟି ହୋଇପାରେ | ମୁଁ ଥରେ ଓଡ଼ିଆ ଖାଦ୍ୟ ଉପରେ ଏକ ସେମିନାରରେ ଏହି ବିଚିତ୍ର ଦ୍ରବ୍ୟର ଉତ୍ପତ୍ତିର କାହାଣୀ ଶୁଣିଥିଲି | କାହାଣୀଟି ହେଉଛି ଯେ ବିଗତ ଶତାବ୍ଦୀର ମଧ୍ୟ ଭାଗରେ ଜଣେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଗ୍ରାମଠାରେ ଅବସ୍ଥିତ ମିଠା ଦୋକାନୀ ସୁଦର୍ଶନ ସାହୁ ଏକଦା ଦିନର ଶେଷରେ ବଳକା ଛେନା ସହିତ କ’ଣ କରିବେ ଜାଣିନପାରି, କିଛି ଚିନି ମିଶାଇ ତାହାକୁ ଅଙ୍ଗାର କୁହୁଳୁଥିବା ଚୁଲି ଉପରେ ରଖିଦେଇ ଶୋଇପଡ଼ିଲେ | ସକାଳେ ଉଠି ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ଛେନା ଉପରେ ଦଗ୍ଧ ଛେନା ଓ ପୋଡ଼ା ଚିନିର ଆବରଣ ଆଚ୍ଛାଦିତ ହୋଇ ଯାଇଛି କିନ୍ତୁ ଭିତର ଅଂଶଟି ଲବଣୀ ତୁଲ୍ୟ ନରମ ରହିଛି | ଚାଖିବାରୁ ଜଣାପଡ଼ିଲା ଯେ ଆଣ ଟି ଅତ୍ୟନ୍ତ ସ୍ଵାଦିଷ୍ଟ | ସମୟାନୁକ୍ରମେ ସେ ଏହି ପ୍ରସ୍ତୁତିକୁ ଆହୁରି ମାର୍ଜିତ କରି ପୋଡ଼ା ଛେନାର ପିଠା ଭାବରେ ପରିଚିତି ଦେଲେ ଯାହା ଓଡ଼ିଶାର ସର୍ବୋତ୍ତମ ମିଷ୍ଟାନ୍ନ ଭାବରେ ପରିଗଣିତ ହେଲା |

ଲେଉଟିବା ସେଇ ନ୍ୟୁ-ଜର୍ସି ମହିଳାଙ୍କ ସନ୍ଦର୍ଭକୁ – ଓଡ଼ିଶାରୁ ଏତେ ଦୂରରେ ଏକ ଆଧୁନିକ ରନ୍ଧନଶାଳାରେ ସେ କିପରି ଏହାକୁ ବନେଇ ପାରିବେ –  ସେ ନେଇ ମୋ ଭିତରେ ପ୍ରଚୁର ଉତ୍କଣ୍ଠା ଜାଗ୍ରତ ହେଲା | ଫୁଟୁଥିବା କ୍ଷୀରରେ ଲେମ୍ବୁ ରସ ଚିପୁଡ଼ି ଦୁଧ ଛିଣ୍ଡି ଯିବା ପର୍ଯ୍ୟନ୍ତ ଆଉଟା ହେଲା | ସଦ୍ୟ ପ୍ରସ୍ତୁତ କରା ହୋଇଥିବା ଛେନାକୁ ଛାଣିବା ପରେ (ମୋତେ ଗତିଶୀଳ ଗାଡ଼ି ମାନଙ୍କରେ ଦୌଦୁଲ୍ୟମାନ ପୋଟଳା ଗୁଡ଼ିକ ମନେ ପଡ଼ିଗଲା) ସେ ଏହାକୁ ଚିନି ଏବଂ କେଇ ଚାମୁଚ ସୁଜି ସହିତ ମିଶାଇ ଦୁଇ ହାତରେ ବେଶ ସ୍ଫୁର୍ତ୍ତିର  ସହ ଦଳିବା ଆରମ୍ଭ କଲେ । କେତେ ମାତ୍ରାରେ ଚିନି ମିଶାଯିବ ତାହା ବହୁତ ନିର୍ଣ୍ଣାୟକ – ବେଳେ ବେଳେ ଦୋକାନରେ ବିକ୍ରି ହେଉଥିବା ଛେନାପୋଡ଼ ଗୁଡ଼ାକ ମୋତେ ଅତ୍ୟଧିକ ମିଠା ଲାଗେ । ସେ କିଛି ଡାଲଚିନି ଗୁଣ୍ଡ ଏବଂ ଗୋଲାପ ପାଖୁଡ଼ା ମିଶାଇ ସମ୍ପୂର୍ଣ୍ଣ ମିଶ୍ରଣକୁ ଏକ ବଡ଼ ଗୋଲାକାର ଗୁଳାର ରୂପ ଦେଲେ ।

ତସଲା ଭିତରେ ଘିଅ ବୋଳି ସାରିଲା ପରେ, ସେ ଦୁଇ ତିନୋଟି ପରସ୍ତ କଦଳୀ ପତ୍ର ପାରି ଦେଲେ (ସେ ମୋତେ କହିଲେ ଯେ ଓଡ଼ିଶାରେ ଥିଲେ ସେ ସାଳପତ୍ର ବ୍ୟବହାର କରିଥାନ୍ତେ କିନ୍ତୁ ଆମେରିକାରେ ଏସିୟ ତେଜାରତି ଦୋକାନ ମାନଙ୍କରେ ତାହା ଉପଲବ୍ଧ ନ ଥାଏ) | ଏତେ ଦିନେ ବୁଝି ପାରିଲି କାହିଁକି ଛେନାପୋଡ଼ର ପୃଷ୍ଠରେ କିଛି ଶିରା ପ୍ରଶିରାର ଛାପ ଅଙ୍କିତ ହେଲା ପରି ଦିଶେ; ଲାଗେ ଯେପରି ପତ୍ରକୁ ତା ଉପରେ ମାଡ଼ି ଦିଆ ଯାଇଛି । ତା’ ପରେ ଆଣକୁ ଏକ ବଡ଼ ତସଲାରେ ସମ୍ୟକ ଚାପ ପ୍ରୟୋଗ କରି ଭର୍ତ୍ତି କରାଗଲା ଯେପରିକି ସମଗ୍ର ପିଠଉ ତସଲାର ଚତୁଃପାର୍ଶ୍ଵରେ ସମତଳ ହୋଇ ସମ୍ଭେଇ ଯିବ । ଏହାକୁ ଆଉ ପରସ୍ତେ କଦଳୀ ପତ୍ର ଦ୍ଵାରା ଘୋଡ଼େଇ ଦିଆଗଲା ।

ଅସଲ କାମ ହେଲା ତାପମାତ୍ରା ଏବଂ ରନ୍ଧନ ଅବଧିକୁ ନିୟନ୍ତ୍ରଣ କରିବା । କିନ୍ତୁ ମୋ ବାନ୍ଧବୀ ତ ଜଣେ ଦକ୍ଷ ପେଷାଦାର ଭଳି ପ୍ରତୀତ ହେଉଥାନ୍ତି । ସେ ପ୍ରଥମେ ୪୫ ମିନିଟ୍ ପାଇଁ ଓଭନ୍ କୁ  ୩୫୦ ଡିଗ୍ରୀ ଫାରେନହାଇଟ୍ ତାପମାତ୍ରାରେ ଗରମ କଲେ ଏବଂ ତା’ ପରେ ଏହାକୁ ୩୭୫ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବୃଦ୍ଧି କରି ଅନ୍ତିମ ୧୫ ମିନିଟ୍ ରାନ୍ଧିଲେ । ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏକ ଦେଶୀ କାଠଚୁଲିରେ ଜଣେ କିପରି ଏତେ ସଠିକ ତାପ ନିୟନ୍ତ୍ରଣ କରି ପାରେ, ଯେଉଁଥିରେ କେବଳ ପାରିପାର୍ଶ୍ଵିକ ଉପାଦାନ ଦ୍ଵାରା, ଯଥା ଧୂଆଁକୁ ଦେଖି, ଗନ୍ଧକୁ ବାରି ଏବଂ ନିରନ୍ତର ଜଳୁଥିବା ବହ୍ନିରୁ ତାପମାତ୍ରା ଆକଳନ କରିବାକୁ ପଡ଼େ । ତା’ ପରେ ଛେନାପୋଡ଼ ପିଠାକୁ ଥଣ୍ଡା ହେବାକୁ ଛାଡ଼ି ଦିଆଗଲା ଏବଂ ପାତ୍ରରୁ ଓଲଟାଇ ବାହାର କରି ଦିଆଗଲା ଯେପରି ପୋଡ଼ା ଅଂଶଟି ଉପର ପଟକୁ ରହିବ । ଶୁଖିଲା ପତ୍ରର ଆବରଣ ଏବେ ସୁଦ୍ଧା ପିଠା ଉପରେ ଆଚ୍ଛାଦିତ ହୋଇଥାଏ, ପତ୍ର ର ଚିହ୍ନ ପିଠା ଉପରେ ବିଦ୍ୟମାନ । ଅନ୍ୟ ପ୍ରକାର କେକ୍ ପରି ଛେନାପୋଡ଼ର କୌଣସି ନିର୍ଦ୍ଧିଷ୍ଠ ସୁଗନ୍ଧ ନ ଥାଏ ଯେଉଁ ପ୍ରକାର ସୁରଭି ପାଶ୍ଚାତ୍ୟ କେକ୍ ତିଆରି ବେଳେ ବାତାବରଣ ରେ ପ୍ରବାହିତ ହୁଏ । ବରଂ ଏହା ଏକ ‘ପୋଡ଼ି ଯାଇଥିବା ପିଠା’ ଯାହା ସାମାନ୍ୟ କେକ୍ ର ବିଲକୁଲ ପରିପନ୍ଥୀ । ତଥାପି ଏହାର ଏକ ‘ଅଲୌକିକ’ ସ୍ୱାଦ । ଏପରିକି ଓଡ଼ିଶାର ରାଜ୍ୟ ସରକାର ଏବେ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ କୁ ଛେନାପୋଡ଼ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଁ ଆଜିକାଲି ଏକ ବିଶାଳକାୟ ଛେନାପୋଡ଼ ପିଠା ସହିତ (ବିନା ମହମବତିରେ) ମୋର ଜନ୍ମଦିନ ଗୁଡ଼ିକ ପାଳନ କରୁଛି । ମୁଁ ଏହାକୁ ପାଶ୍ଚାତ୍ୟ କେକ୍ ପରି ତ୍ରିକୋଣିଆ ବୃତ୍ତାଂଶ ଖଣ୍ଡକରି ନୁହେଁ ବରଂ ଛୋଟ ଛୋଟ ଚାରିକୋଣିଆ ଆକାରରେ କାଟେ । ନାଁ, ମୁଁ ଏହାକୁ ନିଜେ ତିଆରି କରେ ନାହିଁ। ମୁଁ ଏହାକୁ ଭୁବନେଶ୍ୱର ର ଓଲ୍ଡ ଟାଉନ୍ ରେ ଅବସ୍ଥିତ ଗୋଟେ ଦୋକାନରୁ ବରାଦ କରେ, କିନ୍ତୁ ଏହି ପ୍ରବନ୍ଧଟି ଲେଖିଲା ପରେ ମୁଁ ଏହାକୁ ନିଜେ ପ୍ରସ୍ତୁତ କରିବାକୁ ଉଦ୍ୟମ ଯେ ନ କରିବି, କିଏ ଜାଣେ?

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *

oneating-border
Scroll to Top
  • The views expressed through this site are those of the individual authors writing in their individual capacities only and not those of the owners and/or editors of this website. All liability with respect to actions taken or not taken based on the contents of this site are hereby expressly disclaimed. The content on this posting is provided “as is”; no representations are made that the content is error-free.

    The visitor/reader/contributor of this website acknowledges and agrees that when he/she reads or posts content on this website or views content provided by others, they are doing so at their own discretion and risk, including any reliance on the accuracy or completeness of that content. The visitor/contributor further acknowledges and agrees that the views expressed by them in their content do not necessarily reflect the views of oneating.in, and we do not support or endorse any user content. The visitor/contributor acknowledges that oneating.in has no obligation to pre-screen, monitor, review, or edit any content posted by the visitor/contributor and other users of this Site.

    No content/artwork/image used in this site may be reproduced in any form without obtaining explicit prior permission from the owners of oneating.in.