Translated by : S.S.Mohanty
ମୁଁ ହୁଏତ ୪ ର୍ଥ ଶ୍ରେଣୀରେ ପଢୁଥାଏ । ଆମେ ପଡ଼ିଆରେ ଖେଳୁଥାଉ । ଘଣ୍ଟି ବାଜି ସାରିଥାଏ କିନ୍ତୁ ମୁଁ ନିଶ୍ଚଳ, ଆକାଶରେ ଚଢ଼େଇଟି ଉପରେ ନିଘାଥାଏ, ସିଏ ମଧ୍ୟ ନିଶ୍ଚଳ, ସେଇଠି ଝୁଲିଥାଏ ସ୍ଥିରହୋଇ ଆକାଶରେ । ହଠାତ୍ ସିଏ ପଡ଼ିଲା, ପଥର ପରି, ଏବଂ ନିମିଷକ ମଧ୍ୟରେ ପଡ଼ିଆରେ ପିଟି ହୋଇଗଲା । ମୁଁ ସ୍ତମ୍ଭିତ, ଭାବୁଥାଏ ହୁଏତ ଆଘାତ ହେଇଥିବ; ନା ମରିଗଲା କି ଆଉ ? ଦୌଡ଼ିଗଲି ସେଇ ଦିଗରେ । ଠିକ୍ ପାଖରେ ପହଞ୍ଚିଲା ବେଳକୁ ହଠାତ୍ ଉଡ଼ି ପଳେଇଗଲା ! ଚକିତ ହୋଇ ମୁଁ ଦେଖେ ପଡ଼ିଆରେ ଆଉ କେହି ନାହାନ୍ତି । କେତେ ସମୟ ଅତିକ୍ରାନ୍ତ ହେଲାଣି କେଜାଣି, ଶ୍ରେଣୀକୁ ଯିବାରେ ବିଳମ୍ବ ହେଲାଣି ଜାଣି ମୁଁ ଦୌଡ଼ିଲି । ମୋର ମାନସ ପଟଳରେ ଆଙ୍କି ହୋଇ ରହିଗଲା ସେ ଦୃଶ୍ୟ, କିନ୍ତୁ କେତେଟା ବର୍ଷ ବିତିଗଲା ପରେ ଯେବେ ମୁଁ ପକ୍ଷୀ ନିରୀକ୍ଷଣ କରିବା ଆରମ୍ଭ କଲି, ତେବେ ଯାଇ ମୁଁ ପୁନର୍ବାର ଦେଖିଲି ଏହି ସଦୃଶ ଆଚାର, ଏବଂ ପକ୍ଷୀଟିକୁ ଚିହ୍ନଟ କରି ପାରିଲି ଯେ ତାହା ଗୋଟିଏ ଶଙ୍ଖଚିଲ, ଏକ ଅତ୍ୟନ୍ତ ଆକର୍ଷଣୀୟ ଛୋଟ ଶିକାରୀ ପକ୍ଷୀ, ଗୋଟିଏ କାଉ ଆକାର ର ହେବ, କିନ୍ତୁ ଚକ୍ଷୁ ଦୁଇଟି ଲୋହିତ ବର୍ଣ୍ଣ ଏବଂ ଧଳା-ଧୂସର ବର୍ଣ୍ଣର ଶରୀର, କାନ୍ଧ ଉପରେ ଶ୍ୟାମ ବର୍ଣ୍ଣ ଯାହା ଜଣାପଡ଼େ କେବଳ ସିଏ ଡେଣା ପାରି ବସିଥିଲେ ।
Artwork – Peeyush Sekhsaria
ଯେଉଁ ବିଲକ୍ଷଣ ଦୃଶ୍ୟ ମତେ ସମ୍ମୋହିତ କରିଦେଇଥିଲା ତାହାକୁ ‘ପବନ-ତଟସ୍ଥ’ କୁହାଯାଏ । କେତେକ ପକ୍ଷୀ ବାୟୁରେ ନିଶ୍ଚଳ ହୋଇ ଗୋଟିଏ ସ୍ଥାନରେ ସ୍ଥିର ରହିଥାନ୍ତି, ଭୂମିରେ ଏକ ନିର୍ଦ୍ଧିଷ୍ଠ ବିନ୍ଦୂଊପରେ, କାରଣ ପବନ ମୁହଁରେ ସମ ଗତିରେ ଉଡ଼ି ସେମାନେ କ୍ଷଣିକ ପାଇଁ ତଟସ୍ଥ ରହିପାରନ୍ତି, ଆବଶ୍ୟକ ସ୍ଥଳେ ଡେଣାର ଅତି ତୀବ୍ର ସଞ୍ଚାରଣ ଏବଂ ଲାଞ୍ଜକୁ ଦଣ୍ଡାୟମାନ ସ୍ଥିତିରେ ରଖି, ପବନର ସ୍ରୋତକୁ ବିରୋଧ କରି, ନିର୍ଦ୍ଧିଷ୍ଠ ଅବସ୍ଥିତିରେ ଥାଇ, ଶିକାର ଅନ୍ଵେଷଣରେ । ପକ୍ଷୀଟି ଅନେକ ସମୟରେ ନିଜ ଅବସ୍ଥିତି ବଦଳାଏ, ନିମ୍ନକୁ ଯାଏ, କିନ୍ତୁ ଅଳ୍ପ ଅଳ୍ପ କରି, ପ୍ରତିଟି ସ୍ତରରେ ସ୍ଥିର ରହି ରହି, ଏବଂ ଶେଷକୁ ପଥର ପଡ଼ିଲା ପରି ସିଧା ଭୂମିଷ୍ଠ ହୁଏ, ଶେଷ ମୂହୁର୍ତ୍ତରେ ଗତିକୁ ଆୟତ କରି ତା’ର ନିରୀହ ଶିକାରକୁ ଝାମ୍ପିନିଏ । ଅନେକ ସମୟରେ ଏହି କ୍ରିୟାକୁ ଅଧାରୁ ତ୍ୟାଗ କରିବାକୁ ପଡ଼େ – ସାଫଲ୍ୟ ପ୍ରାପ୍ତି ଶହେ ପ୍ରଚେଷ୍ଟାରେ କେବଳ ଥରେ ହୁଏ । .. .. ..
ଠ – ଠ – ଠ
ମୋର ଗୋଟିଏ କୁକୁର ଥିଲା ମିକି। ସେ ଛାଡ଼ିଥିବା ରୁଟିଗୁଡ଼ିକ ଅନେକ ସମୟରେ ଶୁଖି ଟାଣ ହୋଇଯାଏ । ମୁଁ ଲକ୍ଷ୍ୟକଲି, କାଉମାନେ ଏ ରୁଟିଖଣ୍ଡଗୁଡ଼ିକୁ ଗୋଟେଇ ନିଅନ୍ତି, କଡ଼ରେ ଥୋଇ, ଚଞ୍ଚୁରେ ମାଟିକୁ ଖୋଳି, ଛୋଟ ଗାତ ଭିତରେ ରୁଟିକୁ ସାଇତି, ମାଟିରେ ପୁଣି ଢାଙ୍କି ଦିଅନ୍ତି । ବିଶେଷ ଦକ୍ଷତା ନଥିଲେ ମଧ୍ୟ ବେଶ ପାରଙ୍ଗତା ସହ ଏ କାମ ସମ୍ପନ୍ନ କରନ୍ତି । ଏସବୁ ଦେଖି ଯେତିକି ବିସ୍ମିତ ହେଲି ସେତିକି କୌତୁହଳୀ ମଧ୍ୟ । ତା’ ପରେ, ଦିନେ ଦେଖିଲି କାଉଟିଏ ମାଟି ଖୋଳି ଶୁଖିଲା ରୁଟିଖଣ୍ଡଗୁଡ଼ିଏ ଟାଣିଆଣିଲା । ମୁଁ ଉପଲବ୍ଧିକଲି ଯେ ସେମାନେ ଠିକ ମନେରଖିଛନ୍ତି ଭବିଷ୍ୟତରେ ବ୍ୟବହାର ପାଇଁ ରୁଟି କେଉଁଠାରେ ସାଇତାହେଇଛି । କେବଳ ସେତିକି ନୁହେ, କାଉମାନେ ଅସନା ରୁଟିଖଣ୍ଡଗୁଡ଼ିକୁ ନେଇ, ପକ୍ଷୀମାନଙ୍କର ପିଇବା ଲାଗି ଥିବା ଏକ ଛୋଟ ଥାଳିଆରେ ପକେଇଦେଲେ, ଖୁବ ସନ୍ତର୍ପଣରେ ସେମାନେ ଶୁଖିଲା ମଇଳା ରୁଟିଖଣ୍ଡଗୁଡ଼ିକୁ ପାଣିରେ କିଛି ସମୟପାଇଁ ବୁଡ଼େଇ ରଖିଲେ ସେଗୁଡ଼ିକୁ ନରମ ଓ ପରିଷ୍କାର କରିବା ପାଇଁ । ସେମାନେ ଯେ କେବଳ ଯତ୍ନରେ ଖାଦ୍ୟ ସାଇତି ରଖୁଥିଲେ ତା’ ନୁହେଁ, ବରଂ ତାକୁ ଲୁଚାଇବା ସ୍ଥାନରୁ ପୁନରୁଦ୍ଧାର କରି ପାଣିରେ ବତୁରାଉଥିଲେ, ତାକୁ ଖାଇବା ଉପଯୋଗୀ କରିବା ପାଇଁ । ମୋର ମନେ ପଡ଼ିଗଲା ସେଇ ପିଲାଦିନରେ ଶୁଣିଥିବା ଗପ କଥା, ଯେଉଁଥିରେ କାଉଟିଏ ଛୋଟ ଛୋଟ ଗୋଡ଼ି ଥଣ୍ଟରେ ଆଣି ମାଠିଆରେ ପକାଏ, ପାଣିସ୍ତର ଉଠି ତା’ ଥଣ୍ଟ ପାଇଲା ଯାଏଁ ।
Photo – Raju Kasambe CC by 4.0
ବାଲ୍ୟାବସ୍ଥାରେ ଖୁବ ହର୍ଷୋତ୍-ଫୁଲ୍ଲିତ ହୋଇଯାଇଥିଲି ଯେ, ହୁଏତ ମୁଁ କିଛି ନୂତନ ତଥ୍ୟ ଆବିଷ୍କାର କଲି ଭାବି । କିନ୍ତୁ ଯହୁଁ ବଡ଼ହେଲି ଏବଂ ବିଦ୍ୟା ଆହରଣକଲି, ମୁଁ ଜାଣିପାରିଲି ଯେ, କାଉ ଓ ଅନ୍ୟାନ୍ୟ ପକ୍ଷୀ ସ୍ଵାଭାବିକ ଭାବରେ ଖାଦ୍ୟ ସଂରକ୍ଷଣ କରନ୍ତି, ଭବିଷ୍ୟତରେ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ।
କାଉମାନେ, ସ୍ଵାଦିଷ୍ଟ ଖାଦ୍ୟର ଅନ୍ଵେଷଣରେ, ବେଳେବେଳେ କୌତୁକର ପାତ୍ର ହୋଇଥାନ୍ତି । ମୋର ମନେପଡ଼େ ଜଣେ ପକ୍ଷୀ-ନିରୀକ୍ଷକଙ୍କ ଟୀକା ପଢ଼ିଥିଲି – ସେମାନଙ୍କର ଗୋଟିଏ ମାଛ-କୁଣ୍ଡ ଥାଏ ବାଲକୋନୀରେ, ଯାହାଦ୍ୱାରା ଆକୃଷ୍ଟହୋଇ ଗୋଟିଏ ମାଛରଙ୍କା ପକ୍ଷୀଟି ନିୟମିତ ଆସୁଥାଏ ଓ କୁଣ୍ଡରେ ଡୁବୁକିମାରି ମାଛଧରୁଥାଏ । କାଉଟିଏ ତା’ର ଏ ପନ୍ଥା ଲକ୍ଷ୍ୟକରୁଥାଏ । ଦିନେ କାଉଟି, ପକ୍ଷୀ-ନିରୀକ୍ଷକଙ୍କୁ ହତବାକ୍ କରି, କୁଣ୍ଡରେ ବୁଡ଼ପକେଇଲା, ଖୁବ ଅସଂଯତ ଭାବରେ, ଏବଂ ବୁଡୁ ବୁଡୁ ଅଳ୍ପକେ ରକ୍ଷାପାଇଲା । କୌଣସିମତେ ଏହା ପାଣିରୁ ଉଡ଼ିଆସିଲା, ଓଦା ଜୁଡ଼ୁବୁଡ଼ୁ, ନିରୁତ୍ସାହିତ ଓ ଅସନ୍ତୁଷ୍ଟ ।
୦ – ୦ – ୦
ଗୋଟିଏ ଲାଳିତ୍ୟଭରା ସ୍ଵରରେ ‘ଚି -ଚି -ଚି -ଚି -ୱି’ ଡାକ ମୋର ଧ୍ୟାନ ଆକର୍ଷଣକଲା । ମୁଁ ଦେଖିଲି ହଳେ ପକ୍ଷୀ ଖୁବ ମନମୋହକ ନୃତ୍ୟକ୍ରୀଡ଼ାରେ ମଗ୍ନଥାଇ ମାଛିଧରୂଥାନ୍ତି, ପାଦେ ଡେଇଁପଡ଼ି, ପାଦ ଥାପିଥାପି ଚିତ୍ତାକର୍ଷକ ନାଚ । ସେମାନେ ଖୁବ ଆମୋଦରେ କେଳିକରୁଥାନ୍ତି ଏବଂ ଜଣାଯାଉଥାଏ ଯେପରି ଅନାୟାସରେ ମାଛି ଧରୁଥାନ୍ତି ପ୍ରତି ୫ ସେକେଣ୍ଡ ଅନ୍ତରରେ ଗୋଟିଏ ଗୋଟିଏ କରି । ପ୍ରାୟତଃ ସେମାନେ ଭୁଇଁରେ ଥାନ୍ତି, ତ କେତେବେଳେ ସପେଟା ଗଛର ତଳିଆଡାଳ ଉପରେ, ଯେଉଁଠାରୁ ସେମାନେ ତାଙ୍କର କ୍ଷଣିକ ନୃତ୍ୟ-ଆକ୍ରମଣ ଲାଗି ତଳକୁ ଡିଆଁମାରୁଥାନ୍ତି । ଜଣାଯାଉଥାଏ ଯେପରି ସେମାନେ ଏକ ପ୍ରକାରର ‘କୀଟୁଆ’-କେଳା, କୀଟଗୁଡ଼ିକ ତାଙ୍କ ଲୁଚିବାସ୍ଥାନରୁ ମନକୁମନ ବାହାରି ଆସୁଥାନ୍ତି, ତାଙ୍କୁ ଧରାଦେବାଲାଗି । କିଛି କ୍ଷଣପାଇଁ ଗୋଟିଏ ଗୋବରା ପକ୍ଷୀ ମଧ୍ୟ ସେମାନଙ୍କ ସାଙ୍ଗେ ଯୋଗଦେଲା ।
ମୁଁ ଯେଉଁ ପକ୍ଷୀ କଥା କହୁଛି ସେଟା ହେଉଛି ଆମ ବାରିପଟର ଅତି ସାଧାରଣ, ନିର୍ଭୟା ଏବଂ ଚିତ୍ତାକର୍ଷକ ନୃତ୍ୟାଙ୍ଗନା – ‘ପଙ୍ଖାଲାଞ୍ଜି ମାଛଖାଇ’ । କିନ୍ତୁ ଏ ‘ପଙ୍ଖାଲାଞ୍ଜି’ ର ନୃତ୍ୟକ୍ରୀଡ଼ା କିପରି ଏତେ ଲକ୍ଷଭେଦୀ ହେଇପାରୁଛି ?
ଗୋଟିଏ ଛୋଟିଆ ଡିଆଁମାରି, ‘ପଙ୍ଖାଲାଞ୍ଜି ମାଛଖାଇ’ ପକ୍ଷୀଟି ଗୋଟିଏ ପାଦ ବାମକୁ ଡିଏଁ, ପୁଣି ଗୋଟିଏ ପାଦ ଡାହାଣକୁ, ଓ ଶେଷକୁ ଗୋଟିଏ ପାଦ ସମ୍ମୁଖକୁ – ଯେବେ ତ୍ଵରିତବେଗରେ ତା’ର ଲାଞ୍ଜର ପରଗୁଡ଼ିକ ପଙ୍ଖାସଦୃଶ ମେଲିଦିଏ । ତା’ପରେ କୀଟଗୁଡ଼ିକ, ଯିଏ ଗଛର ବକଳସହିତ ସମବର୍ଣ୍ଣ ହୋଇ ‘ଲୁକ୍କାୟିତ’ ହୋଇ ଥାନ୍ତି, କିମ୍ବା ଝଡ଼ାପତ୍ର ତଳେ ଛପିଥାନ୍ତି, ତାଙ୍କୁ ତତ୍-କ୍ଷଣାତ ଗୋଡ଼େଇ ଗୋଡ଼େଇ, ନିଜ ଥଣ୍ଟର ଫାନ୍ଦରେ ସଶବ୍ଦେ ଧରିନିଏ, ଠକ୍ କିନା ଏକ ଲାସ୍ୟମୟୀ ଭଙ୍ଗିମାରେ ।
ଏ ମନଲୋଭା ମୁଦ୍ରାଟିକୁ ଅନେକେ ଅବଲୋକନ କରିଛନ୍ତି – ହିନ୍ଦୀ ଭାଷା ଭାଷୀମାନେ ୟାକୁ ‘ନାଚଣ’ କହନ୍ତି, ଏବଂ ମରାଠୀ ମାନେ ‘ନାଚର ’ ।
Photo – Koshy Koshy CC by 2.0
୦ – ୦ – ୦
ଆମ ପରିବାର ଯେଉଁଠିକୁ ବିସ୍ଥାପିତ ହୋଇଥିଲେ, ତା’ର ଚାରିଆଡ଼େ ଜମିଗୁଡ଼ା ଏକଦା ଚାଷ ଜମି ଥିଲା ନିଶ୍ଚୟ । ଆମେ ସେଠାକୁ ଗଲୁ ୧୯୮୫ ରେ । ଆମ ଜାଗାଟି କ୍ରମେ କ୍ରମେ, କିନ୍ତୁ ସୁନିଶ୍ଚିତ ଭାବରେ ଏକ ବଗିଚାର ରୂପ ନେଉଥିଲା, ଫଳ ବୃକ୍ଷ, ପନିପରିବା, ଗୋଲାପ ଗଛ ଏବଂ ଏସବୁକୁ ଘେରାହୋଇ ତାରଜାଲିର ବାଡ଼, ପଡ଼ିଶାଙ୍କର ଖାଲି ଜାଗାଟା ତୁଛା ଘାସ ପଡ଼ିଆଟା, କିନ୍ତୁ ପ୍ରାଣବନ୍ତ ହୁଏ ହେମନ୍ତର ଆଗମନରେ – ଯିଏ ତା’ର କାୟା ପରିବର୍ତନ କରିଦିଏ ସ୍ୱର୍ଣ୍ଣିମ-ଧୂସର ସବୁଜ ବର୍ଣ୍ଣରେ, ସୁଲୁସୁଲିଆ ପବନ ସହିତ ବାର୍ତ୍ତାଳାପରେ ନିମଗ୍ନ, ସଙ୍ଗୀତର ଏକ ମୂର୍ଚ୍ଛନାପରି ।
ପଡ଼ିଶା ଘରର ଜମିଟିକୁ ମୋ’ ବଖରାର ଝରକାବାଟେ ଦେଖିପାରୁଥିଲି ଏବଂ ସେଇଟା ଥିଲା ମୋର କ୍ଷୁଦ୍ର ‘ବିହଙ୍ଗ ରାଇଜ’ ।
ମୁଁ ଦେଖୁଥାଏ କିପରି ଦୂର୍ବା, ଆଲୋକ ଓ ପବନ ସହ କେଳିରତ, ଠିକ୍ ଯେମିତି ସେଠାରେ ଥିବା ସେଇ ସୁନ୍ଦର ଜାତିଆ ପକ୍ଷୀଟି ଯିଏ ମଧ୍ୟ ‘କ୍ରୀଡ଼ା’ରେ ତଲ୍ଲୀନଥାଏ । କର୍ମଠ, କ୍ଷିପ୍ର, ବାଜିକରିଆ – ଗଗନରେ ଗୋଟିଏହେଲେ ପତଙ୍ଗକୁ ତ୍ରାହିନାହିଁ । ଲମ୍ବା, ମୁନିଆ ଥଣ୍ଟ; ଦୀର୍ଘ, ସବୁଜ ଲାଞ୍ଜରେ ପୁଣି ଜୋଖା କେତେ ସଳଖ ତାର; ଏଇ ପକ୍ଷୀଟି ଥିଲା କ୍ଷୁଦ୍ର ହରିତ ‘ବାଲିଶୁଆ’ । ଏହାକୁ ବରଂ ଆମେ କହିପାରିଥାନ୍ତୁ “କୀଟ-ଧ୍ଵଂସକ” । ଏହାର ଇଂରାଜୀ ନାମରେ ‘ବି-ଇଟର’ ଅଛି କାରଣ ଏହାର ବଡ଼ ନା’ ଅଛି ମହୁମାଛି ଧରିବାରେ, ଏବଂ କେତେକ ଅଞ୍ଚଳରେ ମହୁମାଛି ପାଳକମାନଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା । ଏମାନେ ଘୁରିବୁଲୁଥାନ୍ତି ଯୋଡ଼ାରେ, କିମ୍ବା ଦଳରେ, ଏବଂ ହଠାତ୍ ଉଠିଯା’ନ୍ତି ବିଜୁଳି ବେଗରେ ପୁଣି ନିଜ ପସନ୍ଦର ସ୍ଥାନକୁ ଫେରିଆସନ୍ତି ସୁନିଶ୍ଚିତ ଥଣ୍ଟରେ ଏକ ପତଙ୍ଗ ଚାପିଧରି । ତା’ ପରେ ସେମାନେ ପାଗଳ-ପ୍ରାୟ ମୁଣ୍ଡକୁ ବାମକୁ ଓ ଡାହାଣକୁ ପିଟିପିଟି ଯାଆନ୍ତି, ପତଙ୍ଗର ଶୁଣ୍ଢ ଝଡ଼ିଯିବା ଯାକେ ଏବଂ ତା‘ ବହିର୍କଙ୍କାଳର ଶକ୍ତ ଓ ଗୁରୁପାକ ଅଙ୍ଗ-ପ୍ରତ୍ୟଙ୍ଗ ପୃଥକ ହେବାଯାକେ, ଏବଂ ତା’ ପରେ ତାକୁ ସଟ୍ କିନା ଗିଳିଦିଅନ୍ତି । ମହାରାଷ୍ଟ୍ରର ଲୋକଙ୍କୁ ଏଥିରେ ପାଗଳପଣର ଝଲକ ଦେଖାଗଲା, ତେଣୁ ତାକୁ ‘ୱେଡ଼ା ରାଘୁ’ ଆଖ୍ୟା ଦେଲେ, ‘ୱେଡ଼ା’ ଅର୍ଥ ପାଗଳ ଓ ‘ରାଘୁ‘ ଅର୍ଥ ଶୁଆ, – ଦେଖିବାକୁ ସେ ଶୁଆ ଟି ପରି । ମୁଁ ତ ତାକୁ ନା’ ଦେଇଛି ‘ମୁଣ୍ଡ ବାଡ଼ିଆ’ । ତା’ର କୀଟ-ଶିକାରର କଠିନ ଅଂଶଗୁଡ଼ିକୁ ପାଛୋଡ଼ି ବାହାର କରିବାପାଇଁ ମୁଣ୍ଡ ବାଡ଼େଇବା ଅଭ୍ୟାସଟିକୁ ଛାଡ଼ି ଦେଲେ, ମୋତେ ମଧ୍ୟ ଖୁବ କୌତୁକିଆ ଲାଗିଲା ଯେତେବେଳେ ମୁଁ ଆବିଷ୍କାର କଲି ଯେ, ପେଚା ଓ ଅନ୍ୟାନ୍ୟ କେତେକ ପକ୍ଷୀ ପରି ଏମାନେ ମଧ୍ୟ ନିଜ ଶିକାରର କଠିନ ଓ ଗୁରୁପାକ ଅଂଶଗୁଡ଼ିକୁ ବିଡ଼ାବାନ୍ଧି ପାଟିବାଟେ ବାଟୁଳି ଆକାରରେ ଓଗାଳି ଦିଅନ୍ତି !
Artwork – Peeyush Sekhsaria
୦ – ୦ – ୦
ଆମ ଦେଶର ଅଧିକତର ଶୁଖିଲା ଭାଗଗୁଡ଼ିକରେ ‘କଂସେଇ’ ଚଡ଼େଇ ସାଧାରଣତଃ ଚାରିଆଡ଼େ ଦେଖିବାକୁ ମିଳନ୍ତି । ମଧ୍ୟମ ଆକାରର ‘ମୁଁ-ଖାତିର-କରେନା’ ମନୋବୃତ୍ତି ବହନକରୁଥିବା ଏହି ପକ୍ଷୀଟି ଗୋଟିଏ ଖୁଣ୍ଟଉପରେ ବା ଡାଳଉପରେ ବସି ତା’ର ଆକ୍ରମଣର ଅୟମାରମ୍ଭ କରିଥାଏ ଏବଂ ଛୋଟ ଶିକାରୀ ପକ୍ଷୀପରି ଦେଖାଯାଏ । ଅନେକ ସମୟରେ ବିହଙ୍ଗ ମାନଙ୍କର ନାମଗୁଡ଼ିକ ସେମାନଙ୍କୁ ଖୁବ ବିଶଦ ଭାବେ ବର୍ଣ୍ଣନା କରିଥାଏ । ଏହାର ବୈଜ୍ଞାନିକ ନାମ ‘ଲାନିଅସ’ ଓ ତାର ମରାଠୀ ନାମ ‘ଖାଟିକ’ ଏ ପକ୍ଷୀର ଏକ ସ୍ଵତନ୍ତ୍ର ବ୍ୟବହାର ବର୍ଣ୍ଣନା କରେ ଯାହା ବାସ୍ତବରେ ଏକ କଂସେଇ ପରି ।
ଆମ ବଗିଚାରେ ଗୋଟିଏ ଲେମ୍ବୁୁ ଗଛ ଥାଏ ଯେଉଁଟା ମୋଠାରୁ ଡେଙ୍ଗା ହୋଇଯାଇଥିଲା । ଅଧିକାଂଶ ସମୟରେ ଗୋଟିଏ କଂସେଇ ପକ୍ଷୀ ଏହି ଗଛର ନିକଟବର୍ତ୍ତୀ ଏକ ତାରଜାଲି ବାଡ଼ଉପରେ ବସିଥାଏ । ଏକଦା ମୁଁ ଦେଖିଲି ଗୋଟିଏ ଝିଟିପିଟି ଗୋଟିଏ କଣ୍ଟାରେ ଖୁଞ୍ଚାହୋଇ ରହିଛି । ମୁଁ ନିର୍ଣ୍ଣୟନେଲି ଜଗିରହି ଦେଖିବାକୁ । କିନ୍ତୁ ମୁଁ ଯେବେ ଫେରି ଦେଖେ, ଶିକାରଟିର ଚିହ୍ନବର୍ଣ୍ଣ ନାହିଁ । ଏହା ସମ୍ପୂର୍ଣ୍ଣ ରୂପେ ଅବିଶ୍ଵସନୀୟ, ମୁଁ ଯାହା ପଢ଼ିଥିଲି, ତାହା ବାସ୍ତବ, କଂସେଇଟି ତା’ର କାମ କରିସାରିଥିଲା । କିନ୍ତୁ କଂସେଇ ପକ୍ଷୀମାନେ ତାଙ୍କ ଶିକାରକୁ କାହିଁକି ଖୁଞ୍ଚେଇ ଦିଅନ୍ତି ? ଗୋଟିଏ ଦିଗରୁ ଦେଖିବାକୁ ଗଲେ କଂସେଇ ପକ୍ଷୀର ଖୁବ ବଳିଷ୍ଠ ବାଘ-ନଖ ସଦୃଶ ଥଣ୍ଟ ଥାଏ, ବଳିଷ୍ଠ ମୁଣ୍ଡ ଓ ବେକ, ଏବଂ ଏହି ଦୃଷ୍ଟିରୁ ଛୋଟ ଶିକାରୀ ପକ୍ଷୀପରି ହୋଇଥାନ୍ତି, ଅନ୍ୟ ଦିଗରେ ତାଙ୍କର ପଞ୍ଝା – ଗୋଡ଼ ଓ ନଖ – ବାସ୍ତବରେ ଶକ୍ତିଶାଳୀ ନୁହେଁ ଯେଉଁଭଳି ଆମେ ଶିକାରୀ ପକ୍ଷୀ ମାନଙ୍କଠାରେ ଦେଖୁ । କଂସେଇ ପକ୍ଷୀମାନେ ଗୋଟିଏ ପଟେ ଝିଟିପିଟି, ବେଙ୍ଗ, କ୍ଷୁଦ୍ର ସାପ ଓ ଚଢ଼େଇ ଶିକାର କରିପାରନ୍ତି, କିନ୍ତୁ ସେମାନଙ୍କଠାରେ ଶକ୍ତିଶାଳୀ ପଞ୍ଝା ନଥାଏ ତାକୁ ଧରିରଖି ସେଥିରୁ ଖାଦ୍ୟ ଆହରଣ କରିବା ଲାଗି । ଏହିଭଳି ପରିସ୍ଥିତିରେ ଖୁଞ୍ଚେଇବାଟା ଠିକ କାମରେ ଆସେ । ସେମାନେ ଏପରି କରନ୍ତି ଖାଦ୍ୟକୁ ସଞ୍ଚିତ ରଖି ପରେ ଖାଇବାପାଇଁ ମଧ୍ୟ । ଖୁଞ୍ଚେଇବାର ଏହି ପ୍ରଣାଳୀ କଂସେଇ ପକ୍ଷୀ ମାନଙ୍କର ନିଜସ୍ଵ କହିଲେ ଚଳେ । ଏହି ବର୍ଗର କେତେକ ପକ୍ଷୀ ବିଷାକ୍ତ ଝିଣ୍ଟିକାକୁ ଧରି ଖୁଞ୍ଚେଇବାର ଦୃଷ୍ଟାନ୍ତ ମିଳେ । ସେମାନେ ଦୁଇ ତିନି ଦିନ ଅପେକ୍ଷା କରନ୍ତି କୀଟର ବିଷ ଝରିଯିବା ଲାଗି ତା’ପରେ ଭୂରି ଭୋଜନ କରନ୍ତି । ଏବଂ କଂସେଇ ପକ୍ଷୀପାଇଁ ଏହି ‘କଂସେଇ’ କାମ କେତେ ଗୁରୁତ୍ଵପୂର୍ଣ୍ଣ ତାହା ଦର୍ଶେଇବା ପାଇଁ, କେତେକ ବର୍ଗର ଅଣ୍ଡିରାମାନେ, ମାଈକୁ ଆକର୍ଷିତ କରିବା ପାଇଁ ଅନେକ କିସମର ଖାଦ୍ୟ ପଦାର୍ଥ ଖୁଞ୍ଚେଇ ସଜେଇ ଥାନ୍ତି । ଏ ବର୍ଗମାଳାରେ ରଙ୍ଗବେରଙ୍ଗର ଅଣଖାଦ୍ୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ ଥାଇପାରେ । ଯେବେ କଂସେଇ ଦମ୍ପତିଙ୍କର ଶାବକ ଜନ୍ମ ହୁଅନ୍ତି, ଅଣ୍ଡିରା ପକ୍ଷୀ ଅଧିକାଂଶ ସମୟରେ ଶିକାରକୁ ଖୁଞ୍ଚେଇ ରଖିବାର ଦେଖାଯାଏ, ତା’ର ମୁଣ୍ଡଟିକୁ ଖାଇଦେଇ ସାରିଲାପରେ, ଏବଂ ମାଈ ପକ୍ଷୀଟି ବଳକା ଖୁଞ୍ଚା ଖାଦ୍ୟ ଅମଳକରେ ନିଜର ଓ ଶାବକଗୁଡ଼ିଙ୍କର ପୋଷଣ ପାଇଁ ।
କିଛି ବର୍ଷ ତଳେ, ଯେବେ ସିଂହଗଡ଼ ଦୁର୍ଗ, ପୁଣେ ପାଖରେ ମୁଁ ବିହଙ୍ଗାବଲୋକନ କରୁଥାଏ, ଲକ୍ଷ୍ୟକଲି ଗୋଟିଏ ନିର୍ଝର ତୀରବର୍ତ୍ତୀ ପଥର ପୃଷ୍ଠରେ ଛୋଟ ଛୋଟ ରକ୍ତ ଛିଟା । ରକ୍ତ ଛିଟା ଗୁଡ଼ିକ ସଦ୍ୟ ଜଣା ପଡ଼ୁଥାଏ । ମୁଁ ଯେ ଏକ ସଂହାରର ଅତି ନିକଟବର୍ତ୍ତୀ, ଏହା ଜାଣି ପ୍ରବଳ ଉତ୍କଣ୍ଠା ସହକାରେ ନିରେଖି ଚାହିଁଲି ଖୁବ ସଂତର୍ପଣତା ସହିତ । ଏପରି ହିଂସ୍ରତା ଦେଖି ମୁଁ ହତବାକ୍ ହୋଇ ଲକ୍ଷ୍ୟ କଲି ଗୋଟିଏ ଛୋଟ ଚଢ଼େଇଟିଏ ଖୁଞ୍ଚେଇ ହୋଇ ରହିଥାଏ କ୍ଷୀରକୋଳି ବୁଦାର ଏକ କଣ୍ଟାରେ; ମୁଣ୍ଡ ବିହୀନ । ଖୁବ ସନ୍ତର୍ପଣରେ ମୁଁ ଅପସରି ଗଲି, କାରଣ କଂସେଇଟି ପ୍ରତ୍ୟାବର୍ତ୍ତନ କରିଥିଲା !
Artwork – Peeyush Sekhsaria
୦ – ୦ – ୦
ଗୋବରା ଚଢ଼େଇ ଗୋଟିଏ ଅତି ସାଧାରଣ ପକ୍ଷୀ ଯାହା ଦେଶର ବିସ୍ତୃତ ତୋଟାମାନଙ୍କରେ ଦେଖାଯାଏ। ଦାମ୍ଭିକତାରେ ପୂର୍ଣ୍ଣ, ମନୁଷ୍ୟ ମାନଙ୍କ ସଙ୍ଗେ ଅଭ୍ୟସ୍ତ, ଏହା ଅନେକ ସମୟରେ କୁଣ୍ଡରେ ଲଗାଯାଇଥିବା ଛୋଟ ଛୋଟ ବୁଦାଳିଆ ଗଛମାନଙ୍କରେ ବସା ବାନ୍ଧିବାର ଦେଖାଯାଏ, ଦମ୍ଭିଲା ବୁଣାରେ ପ୍ରସ୍ତୁତ ଅର୍ଦ୍ଧ-ଗୋଲାକାର ତାଟିଆ ପରି ବସା ତା’ର । ଏବେ ଏବେ ମୁଁ ଦେଖିଛି ସେମାନଙ୍କୁ ଘର ଭିତରେ ପର୍ଦାର ବାଡ଼ି ଉପରେ ବସା ବାନ୍ଧିବାର, ଯାହା ପ୍ରମାଣଦିଏ ଯେ ବସା ବାନ୍ଧିବାପାଇଁ ଯଥେଷ୍ଟ ଉପଯୁକ୍ତ ବୁଦା ଅଭାବ ଅଛି, କିମ୍ବା ଗୋବରା ଚଢ଼େଇ ପାଇଁ କେତେକ ନିର୍ଦ୍ଦିଷ୍ଟ ଗୃହର ଆତିଥ୍ୟ ପ୍ରତ୍ୟାଖ୍ୟାନ କରିବା କଷ୍ଟକର ହୁଏ । ଏବେ ଯାଏଁ ମୋର ଧାରଣା ଥିଲା ଯେ ଗୋବରା ଗୁଡ଼ିକ ଫଳାହାରି ଚଢ଼େଇ ଏବଂ ଏମାନେ ମୁଖ୍ୟତଃ କୋଳି ଓ ଫଳ ଉପରେ ନିର୍ଭର କରନ୍ତି । କିନ୍ତୁ ଅଳ୍ପ କେଇଦିନ ତଳେ ମୁଁ ଯେବେ ସେମାନଙ୍କୁ ଦେଖିଲି ବସାକୁ ପଙ୍ଗପାଳ ଓ ସଁବାଳୁଆ ଆଣୁଥିବାର, ମୋର ଭ୍ରାନ୍ତି ଦୂରହେଲା। ନିଶ୍ଚିତ ଭାବେ ଶାବକ ମାନଙ୍କ ପାଇଁ କୀଟ-ପୁଷ୍ଟିସାରର ଆବଶ୍ୟକତା ଥିଲା । ମୁଁ ମଧ୍ୟ ଦେଖିଥିଲି ଅନ୍ୟ ପକ୍ଷୀମାନଙ୍କଠାରେ, ଯଥା ଘରଚଟିଆ, ଯେଉଁମାନେ ନିଜେ ଅଧିକାଂଶ ସମୟରେ ଶସ୍ୟ ଓ ମଞ୍ଜି ଖାଆନ୍ତି, ଅଥଚ ନିଜ ଶାବକମାନଙ୍କୁ ଖୁଆଇବାପାଇଁ କୀଟ ପୁଷ୍ଟିସାର ନେଇଯା’ନ୍ତି ।
ମୋ ଶୟନ କକ୍ଷରେ ଗୋଟିଏ ମେଜ ଥାଏ। ମୁଁ ସେଠାରେ ବସି କାମ କଲା ବେଳେ, ପଡ଼ିଶା ଘରର ଛାତ ଦେଖାଯାଏ । ଚଢ଼େଇମାନେ ଏହି ଛାତ ଉପରକୁ ବୁଲିବାକୁ ଆସନ୍ତି – ସେମାନଙ୍କର ନିଜ ନିଜର ମନଲାଖି ସ୍ଥାନ ଥାଏ, ତହିଁରୁ ଗୋଟିଏ ହେଉଛି ପାରାପେଟ୍ କାନ୍ଥର କୋଣ, ଯେଉଁଠିକି ଗୋଟିଏ ଗୋବରା ଚଢ଼େଇ ଅନେକ ସମୟରେ ଆସେ, ସେ ଧରିଥିବା ଜୀବକୁ ସାଙ୍ଗରେ ନେଇ । ବସା ବାନ୍ଧିବା ଋତୁ ଥିଲା, ତେଣୁ ସେ ଅଧିକାଂଶ ବେଳେ ଆସେ ସଦ୍ୟ ଧରା ହୋଇଥିବା, ଛଟ୍ ପଟ୍ ହେଉଥିବା ସଂବାଳୁଆ ସହିତ, ତାଙ୍କୁ ଅସଙ୍ଗତରେ ଓ ନିର୍ଘାତ ଭାବେ ବାଡ଼େଇ ବାଡ଼େଇ, ଏବଂ ମଲାପରେ ନିଜ ବସାକୁ ନିଏ । କିନ୍ତୁ ଦିନେ, ଦ୍ଵିପ୍ରହରରେ, ଯେତେବେଳେ ମୁଁ ନିଜ କାମରେ ବ୍ୟସ୍ତଥାଏ, ମୋ’ ପାଇଁ ଏକ କିମ୍ଭୂତକିମାକାର ଦୃଶ୍ୟ ପ୍ରତୀକ୍ଷା କରିଥାଏ । ଗୋବରାଟା ଆସି ପହଞ୍ଚିଲା ଜଂତୁଟିଏ ଥଣ୍ଟରେ ଧରି, ଯାହା ବିଚିତ୍ର ମନେ ହେଲା । ମୁଁ ପ୍ରଥମେ ତାକୁ ଗୋଟିଏ ବେଙ୍ଗ ବୋଲି ଧରିନେଲି । ତତ୍ କ୍ଷଣାତ୍ ମୋର ସବୁ କାମ ଛାଡ଼ି ମୁ ମୋର କ୍ୟାମେରା ତୋଳି ଧରିଲି । ଯେମିତି କ୍ୟାମେରା ଦେଇ ଚଢ଼େଇ ଆଡ଼କୁ ଦୃଷ୍ଟି ନିକ୍ଷେପ କରେ, ମୁଁ ଜାଣିଗଲି ଯେ ତାହା ବାସ୍ତବରେ ଗୋଟିଏ ଘରୁଆ ଝିଟିପିଟି । ତା’ର ଲାଞ୍ଜଟି ଅନୁପସ୍ଥିତ ଥାଏ – ଏହା ସ୍ପଷ୍ଟ ହୋଇଗଲା ଯେ ଝିଟିପିଟି ତା’ର ତୁଣୀରରୁ ସମସ୍ତ ବାଣ ପ୍ରୟୋଗ କରିସାରିଛି, ଏପରିକି ନିଜ ଲାଞ୍ଜ ପରିତ୍ୟାଗ କରିବାଟା ମଧ୍ୟ । ଏହା ନିଶ୍ଚିତ ଭାବେ ମରିଯାଇ ଥିଲା, କିନ୍ତୁ ଗୋବରାଟି ତାକୁ ତଥାପି ହତ୍ୟା କରିବାରେ ଲାଗିଥାଏ, କିମ୍ବା ତାକୁ ଛୋଟଛୋଟ ଖଣ୍ଡ କରିବାପାଇଁ ଚେଷ୍ଟିତ ଥାଏ । କିଛିକ୍ଷଣ ଏହିଭଳି ପ୍ରଚେଷ୍ଟା ଜାରିରଖିବା ପରେ, ଓ ତଥାପି ସଫଳତା ହାସଲନହେବାରୁ, ଝିଟିପିଟିକୁ ଧରି ସେ ଉଡ଼ିଗଲା ।
ମୁଁ ଏହି ଦୃଶ୍ୟ ଦେଖି ସନ୍ଦେହରେ ପଡ଼ିଗଲି । ମୁଁ ମଧ୍ୟ ଭାବୁଥାଏ ସତରେ କଣ ଗୋବରାଟି ଏତେ ବଡ଼ ଜନ୍ତୁଟିକୁ ଛୋଟ ଛୋଟ ଖଣ୍ଡ କରିବାରେ ସକ୍ଷମ ହେବ, ଯେପରି ତାର ଛୁଆମାନେ ଖାଇପାରିବେ ? କାରଣ ସେ ଝିଟିପିଟି ଖଣ୍ଡକ ତା’ର ନିତିଦିନିଆ କୀଟ ଶିକାର ଠାରୁ ଢେର ଲମ୍ବା ଓ ତାଗଡ଼ା ଥିଲା । ତାକୁ ଧରିରଖି ଛୋଟଛୋଟ ଖଣ୍ଡରେ ଛିଣ୍ଡାଇବାପାଇଁ ଯେଉଁଭଳି ଥଣ୍ଟ ଓ ତୀକ୍ଷ୍ ଣ ନଖ ଆବଶ୍ୟକ ତା’ର ବାସ୍ତବରେ ନଥିଲା । ମୁଁ ଇଣ୍ଟର୍ନେଟ ରେ ଅନୁସନ୍ଧାନ କଲି ଓ ଅତି କମରେ ଦୁଇଟି ଟୀକା ପାଇଲି ‘ବମ୍ବେ ପ୍ରାକୃତିକ ଇତିହାସ ସମାଜ’ ରେ । ସଲିମ ଅଲି ଓ ଡିଲନ ରିପ୍ଲେ, ଦିହେଁ ଭାରତର ପକ୍ଷୀ ବିଷୟବସ୍ତୁ ଉପରେ ମହାରଥୀ, ଟୀକା ଲେଖିଥିଲେ ଗୋଟିଏ କେସ ବିଷୟରେ ଯେଉଁଥିରେ ଗୋଟିଏ ଗୋବରା ଚଢ଼େଇ ତା’ର ଛୁଆକୁ ଗୋଟିଏ କୁନି ଝିଟିପିଟି ଖୁଆଇ ଥିଲା କିନ୍ତୁ ସିଏ ତାକୁ ଗିଳିବାକୁ ଚେଷ୍ଟାରତ ଥିଲାବେଳେ ମରିଗଲା। ଦ୍ଵିତୀୟ ଟୀକା ୧୯୯୯ ର ଥିଲା, ଏବଂ ବହୁତ ମଜାଦାର, ପକ୍ଷୀଟି ଝିଟିପିଟି କୁ ଆକ୍ରମଣ କଲା, କିନ୍ତୁ ଝିଟିପିଟି-କାଇଦାରେ ସେ ତା’ ଲାଞ୍ଜ ଛାଡ଼ିଦେଲା ଯେଉଁଟା ଖୁବ ଜୋରରେ ଛଟ୍ ପଟ୍ ହେବାକୁ ଲାଗିଲା, ଚାଲାକିତା କାମ କଲା, ଗୋବରାଟି ଲାଞ୍ଜ ପଛରେ ଲାଗିଲା ଓ ଝିଟିପିଟି ଖସି ପଳେଇଗଲା !
ମୁଁ ଗୋଟିଏ ଭିଡିଓ ମଧ୍ୟ ପାଇଲି । ଗୋବରାଟିଏ ତା ଥଣ୍ଟରେ ଗୋଟିଏ ଲାଞ୍ଜ ବିହୀନ ଝିଟିପିଟି ଧରି ନିଜ ବସାରେ ପହଞ୍ଚିବା ଦୃଶ୍ୟ ଦେଖିଲି । ତା’ର ଶାବକମାନେ ଆକୁଳହୋଇ ଖାଦ୍ୟ ପାଇଁ ଶାବକ-ଶୈଳୀରେ ଆଁ କରି ଏବଂ ମୁଣ୍ଡକୁ ଥରଥରେଇ କରି, ଯେପରି ତତ୍ କ୍ଷଣାତ ନ ଖୁଏଇଦେଲେ ଆଉ ବଞ୍ଚିବେ ନାହିଁ । କିନ୍ତୁ ୩୦ ସେକେଣ୍ଡର ପ୍ରଚେଷ୍ଟା ସତ୍ବେ ଗୋବରାଟି ତାର ଗୋଟିଏ ହେଲେ ଶାବକର ଖୋଲା ପାଟିରେ ଝିଟିପିଟିକୁ ପୁରେଇ ପାରିଲାନାହିଁ । ଏତେ ବଡ଼ ଶିକାର କୁ ସମ୍ଭାଳିବାପାଇଁ ଯେଉଁ ଦକ୍ଷତା ଆବଶ୍ୟକ, ଯେପରି ଗୋଟିଏ ଶିକାରୀ ପକ୍ଷୀ, ଯିଏ ଝିଟିପିଟିକୁ ଛୋଟଛୋଟ ଖଣ୍ଡ କରିପକେଇଥାନ୍ତି ତା ଛୁଆମାନଙ୍କୁ ଖୁଆଇବାଲାଗି, ସେଇ ଦକ୍ଷତା ଗୋବରା ଅଭିଭାବକଠାରେ ପରିଦୃଷ୍ଟ ହେଉନଥାଏ । ଏ ଅସାଧାରଣ ବ୍ୟବହାର ମନରେ ସ୍ବତଃ ଏକ ପ୍ରଶ୍ନ ଅଙ୍କୁରିତକରେ: ଗୋବରାଟି ନିଜ ଶକ୍ତି ବାହାରକୁ ଯାଇ ନିଜ ଛୁଆପାଇଁ ଝିଟିପିଟି ରୂପରେ ପୁଷ୍ଟିସାର ଆଣିବାକୁ ତ ସକ୍ଷମ ହୁଏ, କିନ୍ତୁ ତତ୍ ସଙ୍ଗେ ସଙ୍ଗେ ତାର ସଶକ୍ତ ଥଣ୍ଟ ଓ ନଖ ବିହୁନେ ଶିକାରକୁ ଠିକ ଭାବରେ ଖଣ୍ଡ ଖଣ୍ଡ କରି ନ ପାରିବାରୁ ଶାବକର ଯାତନା ବୃଦ୍ଧି ହୁଏ । ସେ ତା’ ହେଲେ ଏପରି କାହିଁକି କରେ ?
Photo – Peeyush Sekhsaria
୦ – ୦ – ୦ – ୦
କାନପାଖରେ ଫୋନ ଧରି ଆମ ପୁଣେ ଘର ର ଏକତାଲା ଉପରେ ଥିବା ଝରକା ବାଟେ ମୁଁ ନିରୀକ୍ଷଣ କରୁଥାଏ ଗୋଟିଏ ସୁନ୍ଦର ଶିରୀଷ ବୃକ୍ଷକୁ ।
ଜଣାଗଲା ଯେମିତି ଛୋଟିଆ ଜୀବଟିଏ କ୍ଷିପ୍ର ବେଗରେ ଗତିକଲା, ମୁଁ ନିରେଖି ଚାହିଁ ଦେଖିଲି ପିଠିରେ ବାଇଗଣି ରଙ୍ଗବୋଳି ଗୋଟିଏ ମାଈ ଚୁମକି ଚଢ଼େଇ । ଅଧିକନ୍ତୁ ଏହା ଫୁଲରୁ ମକରନ୍ଦ ଆହରଣ କରେ, କିନ୍ତୁ କୀଟ ମଧ୍ୟ ଖାଏ, ଏବଂ ସେ ତାହାହିଁ କରୁଥିବାର ଜଣାଗଲା, ଧ୍ୟାନମଗ୍ନ ହୋଇ ପୁଷ୍ପବିହୀନ ବୃକ୍ଷର ଚତୁର୍ଦିଗରେ ଦୃଷ୍ଟି ନିକ୍ଷେପ କରୁଥାଏ । ଅନ୍ୟ ଏକ ଚଢ଼େଇର ତଡ଼ିତ୍ ସଦୃଶ ଉଡ଼ାଣ ମୋର ଦୃଷ୍ଟି ଆକର୍ଷିତ କଲା – ସେ ଗୋଟିଏ ମୁହୂର୍ତ୍ତକରେ ଆସିଲା ଓ ଚାଲିଗଲା । ଏବଂ ସେଠି ପୁଣି ମୁଁ ତାକୁ ଅନ୍ୟତ୍ର ଦେଖିଲି ଫିକ୍ କିନା ଉଡ଼ି ଯିବାର – ଶୁଭ୍ର କପାଳ ଥିବା ‘ପଙ୍ଖାଲାଞ୍ଜି ମାଛଖାଇ’ ଚଢ଼େଇଟିଏ । ମୁଁ ତନ୍ମୟ ହୋଇ ଅନୁଧ୍ୟାନ କରୁଥାଏ ତାର ବିଚକ୍ଷଣ ଲୀଳା, ଡେଇଁ ପଡ଼ି ବୁଲିଯାଇ – ମୟୂରପକ୍ଷିଆ ନାଚ ନାଚି – ସଟ୍ କିନା ଧରିବାର କ୍ରୀଡ଼ା, ମୁଁ ଲକ୍ଷ୍ୟ କଲି ବୃକ୍ଷ ମଧ୍ୟରେ ଆହୁରି ଗହିରକୁ ଆଉ ଏକ ଚଢ଼େଇ, ଗୋଟିଏ ଘରଚଟିଆ କି ? ଆଉ ଟିକେ ନିରେଖି ଚାହିଁ ଦେଖେ ଯେ ସେଇଟା ଟିକିଏ କ୍ଷୁଦ୍ରତର, ପତଳା, ଧାରୁଆ ଏବଂ ତା ଶରୀରରେ ପରିଷ୍କାର ଭାବେ କଳା ଓ ଧଳାର ଚିତ୍ରକାରି, ବାସ୍ତବରେ ସେଟା ଥିଲା ଏକ ନୀଳ ବର୍ଣ୍ଣର ଟେଁଟେଁୟା ଚଢ଼େଇ । ତାର ସ୍ଵତନ୍ତ୍ରତା ଥିଲା ତାର ମୁଣ୍ଡ ନୂଆଇଁବା ଶୈଳୀ, ଗଛର ବକଳକୁ ଧ୍ୟାନପୂର୍ବକ ଅବଲୋଚନ କରି କୀଟକୁ ପାଇବା । ଠିକ ଯେତେବେଳେ ମୁଁ ଦେଖିବାକୁ ଚେଷ୍ଟା କରୁଥିଲି, ମାଈ ଚୁମକୀଟି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା, ଏକ ବିଚକ୍ଷଣ କମଳା ରଙ୍ଗ ପକ୍ଷୀ ମୋ ଦୃଷ୍ଠିକୁ ଆସିଲା; ଗୋଟିଏ କ୍ଷୁଦ୍ର ଛୋଟନାଲି ମଇନା । ଆଉ ଯଦି ଅଣ୍ଡିରାଟି ସେଠି ଅଛି ତେବେ ମାଈଟି ସେଇ ଆଖପାଖରେ ଥିବ, ଆଃ ସେଇଠି ଡାହାଣ ପଟକୁ, ସାମାନ୍ୟ ଈଷତ୍ ହଳଦିଆ, ଏତେ ଆକର୍ଷକ ଦେଖିବାକୁ ନୁହେଁ, କିନ୍ତୁ ତଥାପି ସୁନ୍ଦର । ମୁଁ ଆଖି କୋଣରୁ ପାର୍ଶ୍ଵବର୍ତ୍ତୀ ଡାଳିମ୍ବ ଗଛରେ ଲକ୍ଷ୍ୟକଲି ଗୋଟିଏ ପ୍ରାଚ୍ୟ ‘ତୁଳାଫୁଟକି’ ଚଢ଼େଇ ଡେଇଁଡେଇଁକା, ଏ ପତ୍ରରୁ ସେ ପତ୍ର, ପତ୍ରର ତଳ ପାର୍ଶ୍ଵ, ପୁଣି ଉପର ପାର୍ଶ୍ଵ, ଆଗକୁ ଯାଇ ପୁଣି ସେଇକଥା । ଗୋଟିଏ ଶିରୀଷ ବୃକ୍ଷରେ, ଊଣା ଅଧିକେ ସମ ଉଚ୍ଚତାରେ, ହୁଏତ ଛ‘ ଫୁଟ ଠାରୁ କମ ଅନ୍ତରରେ ୫ ପ୍ରଜାତିର ୬ ଟି ଚଢ଼େଇ ଗୋଟିଏ କିସମର ଖାଦ୍ୟ ଅନ୍ଵେଷଣରେ, ଅଥଚ ପରସ୍ପର ସହ ଲଢ଼ୁ ନ ଥିଲେ ? ନିଶ୍ଚିତ ଏହା ଏକ ପ୍ରକାରର ‘ଶିକାର ପଙ୍ଗତ’ ଯାହାର ଅନ୍ୟ ନାମ ‘ସମୂହ ଶିକାର ଭୋଜି’ ଯେଉଁଠି ପକ୍ଷୀମାନେ ଏକାଠି ମିଶି ଶିକାର କରନ୍ତି, ପରସ୍ପର ସହିତ ସଂଘର୍ଷ କରି ନୁହେଁ, ବରଂ ପରସ୍ପରକୁ ସହାୟତା କରି ।
‘ପଙ୍ଖାଲାଞ୍ଜୀ ମାଛଖାଇ’ ଚଢ଼େଇ ନିଶ୍ଚିତ ଭାବେ ତା’ର ନୃତ୍ୟ ସଂରଚନା ଦ୍ୱାରା କୀଟମାନଙ୍କୁ ଲୁଚିବା ସ୍ଥାନରୁ ବାହାରକୁ ଆଣି ପାରୁଥିଲା, ଏବଂ ତତ୍ପରେ କ୍ଷିପ୍ର ବେଗରେ ଶିକାରକୁ ଧରୁଥିଲା, ‘ଛୋଟନାଲି ମଇନା’ ପତ୍ରଗୁଡିକର ସୂକ୍ଷ୍ମ ଅନୁଧ୍ୟାନ ଦ୍ୱାରା ତା’ କୀଟକୁ ଠାବକରୁଥିବା ଭଳି ଲାଗେ, ଏବଂ ସେ ମଧ୍ୟ ସ୍ୱଳ୍ପ ଦୂରତାର ଉଡ଼ାଣ ନିଏ, କିନ୍ତୁ ‘ଚୁମକି’ ଓ ‘ତୁଳାଫୁଟକି’ ସେଇୟା କରୁଥିଲେ ଗୋଟି ଗୋଟି ପତ୍ରକୁ, ଛୋଟ ଡାଳଗୁଡ଼ିକୁ, ଉପର ତଳ ନିରୀକ୍ଷଣ କରି, କିନ୍ତୁ ‘ନୀଳ ବର୍ଣ୍ଣ ଟେଁଟେଁୟା’ ଚଢ଼େଇ ବେଶି ନଜର ରଖିଥାଏ ଗଛ ଗଣ୍ଡିର ବକଳ ଉପରେ ନିଜର ଶିକାର ପାଇଁ । ମୁଁ ସେମାନଙ୍କୁ ବେଶି ସମୟ ଅନୁଧ୍ୟାନ କରିପାରିଲି ନାହିଁ କାରଣ ସେ ଦଳଟି ଆଗକୁ ବଢ଼ିଗଲା । ମୁଁ ଏହା ଜଙ୍ଗଲ ଭିତରେ ଦେଖିଥିଲି ଏବଂ ତା’ର ଚିତ୍ତାକର୍ଷକ ବର୍ଣ୍ଣନା ପଢ଼ିଥିଲି, କିନ୍ତୁ ମୁଁ ଯେ ଏହିଠାରେ ସେ ଦୃଶ୍ୟ ଦେଖିବି ତାହା ଆଶା କରିନଥିଲି । ହରି ଶ୍ରୀଧର, ଯିଏ ‘ସମୂହ ଶିକାର ଭୋଜି’ ଉପରେ ‘ଆଂଶୀ ବ୍ୟାଘ୍ର ସଂରକ୍ଷଣ ବଣ’ ଭିତରେ ୨୫୦ ଏହିପରି ଦଳକୁ ଅନୁଧ୍ୟାନ କରିଥିଲେ, ମତ ଦେଲେ ଯେ ଏଟା ନିଶ୍ଚୟ ଏକ ‘ସମୂହ ଶିକାର ଭୋଜି’ । ତାଙ୍କ ଗବେଷଣାରେ ସେ ପ୍ରତିପାଦିତ କରିଥିଲେ ୨୩ ଟି ଭିନ୍ନ ଭିନ୍ନ ବର୍ଗର ୫୫ଟି ଚଢ଼େଇ ଯାଏଁ ଗୋଷ୍ଠି – କେତେବେଳେ କିଛି ପକ୍ଷୀ ବେଶି ଲାଭାନ୍ଵିତ ହେବାର ଜଣା ଯାଉଥିଲେ ‘ସଂଖ୍ୟା ରୁ ସୁରକ୍ଷା’ କୁ ନେଇ, ଏବଂ କିଛି ଫାଇଦା ପାଉଥିଲେ ଅନ୍ୟ ବର୍ଗର ଚଢ଼େଇଙ୍କର ଅଭ୍ୟାସଗତ ସତର୍କତା ଯୋଗୁଁ, ତେବେ ଅନ୍ୟମାନେ ଲାଭ ପାଉଥିଲେ ଶିକାରରେ ପାରଙ୍ଗତା ଯୋଗୁଁ, ଓ ଆହୁରି ଅନ୍ୟମାନେ ଅକ୍ଲେଶରେ ନିଜର ଚୋରି-ବୃତ୍ତି ଚରିତାର୍ଥ କରିବାପାଇଁ ସୁଯୋଗ ପାଇବା ହେତୁ; ଅଧିକାଂଶ ଭାବରେ ଗୋଷ୍ଠିଟି ଏକତ୍ର ରହୁଥିଲା । ହରି ଶ୍ରୀଧରଙ୍କ କହିବା ଅନୁସାରେ ଭିନ୍ନଭିନ୍ନ ବର୍ଗର ମିଶାମିଶି ଦଳଟି ଦୁଇଟି ପୃଥକ ଦୃଷ୍ଟିରୁ ଅନନ୍ୟ: ପ୍ରଥମଟି ହେଉଛି ସୁନ୍ଦରିମା; ଦ୍ଵିତୀୟଟି ହେଉଛି ପରିବେଶ । ଯଦ୍ଦପି ସେ ୫ ଟି ଯାକ ବର୍ଗର ଚଢ଼େଇଙ୍କ ସୁନ୍ଦରତା ଦେଖିଲେ ନିଶ୍ଚୟ ଉଲ୍ଲସିତ ଲାଗେ, ସମସ୍ତଙ୍କୁ ଏକତ୍ର ଗୋଟିଏ ଗୋଷ୍ଠିରେ ଦେଖିବା ଏବଂ ତାହା ପୁଣି ମୋ ଘରର ଝରକାରୁ ନିଜ ବଗିଚା ଭିତରେ, ଏହା ନିଶ୍ଚୟ ଏକ ଅସାଧାରଣ ଅନୁଭୂତି ।
ଏଥର ସମୂହ ଶିକାର ପଙ୍ଗତର ଭୋଜି ଅୟମାରାମ୍ଭ କରାଯାଉ !
Artwork – Bhargav Kumar Kulkarni